Matthew 25

ଦଶ କନ୍ୟାଙ୍କ ଦୃଷ୍ଟାନ୍ତ

1ସେତେବେଳେ ସ୍ୱର୍ଗରାଜ୍ୟ ଦଶ ଜଣ କନ୍ୟାଙ୍କ ଭଳି ହେବ; ସେମାନେ ଆପଣା ଆପଣା ପ୍ରଦୀପ ନେଇ ବରଙ୍କ ସହିତ ଭେଟିବାକୁ ବାହାରିଲେ । 2ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ନିର୍ବୁଦ୍ଧି ଓ ପାଞ୍ଚ ଜଣ ସୁବୁଦ୍ଧି ଥିଲେ । 3ନିର୍ବୁଦ୍ଧିମାନେ ପ୍ରଦୀପ ନେବା ସମୟରେ ନିଜ ନିଜ ସହିତ ତୈଳ ନେଲେ ନାହିଁ, 4ମାତ୍ର ସୁବୁଦ୍ଧିମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ ।

5ବରଙ୍କ ଆସିବାର ବିଳମ୍ବ ହୁଅନ୍ତେ ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ । 6କିନ୍ତୁ ଅର୍ଦ୍ଧରାତ୍ରରେ ‘ଏହି ଦେଖ, ବର, ତାହାଙ୍କ ସାଙ୍ଗରେ ସାକ୍ଷାତ୍ କରିବାକୁ ବାହାର’, ଏପରି କୋଳାହଳ ହେଲା ।

7ସେତେବେଳେ ସେହି କନ୍ୟାସମସ୍ତେ ଉଠି ଆପଣା ପ୍ରଦୀପ ସଜାଡ଼ିଲେ । 8କିନ୍ତୁ ନିର୍ବୁଦ୍ଧିମାନେ ସୁବୁଦ୍ଧିମାନଙ୍କୁ କହିଲେ, ତୁମ ତେଲରୁ ଆମକୁ ଟିକେ ଦିଅ, କାରଣ ଆମ ଦୀପସବୁ ଲିଭିଯାଉଅଛି । 9ମାତ୍ର ସୁବୁଦ୍ଧିମାନେ ଉତ୍ତର ଦେଲେ, ନାହିଁ, ନାହିଁ, ତୁମ ଆମ ପାଇଁ ତ ଅଣ୍ଟିବ ନାହିଁ, ବରଂ ଦୋକାନୀମାନଙ୍କ ପାଖକୁ ଯାଇ ଆପଣା ଆପଣା ନିମନ୍ତେ କିଣି ଆଣ ।

10କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ ‘ବର’ ଆସିଲେ, ପୁଣି, ଯେଉଁମାନେ ପ୍ରସ୍ତୁତ ଥିଲେ, ସେମାନେ ତାହାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା । 11ଏହାପରେ ଅନ୍ୟ କନ୍ୟାମାନେ ମଧ୍ୟ ଆସି କହିଲେ, ହେ ପ୍ରଭୁ, ହେ ପ୍ରଭୁ, ଆମ ପାଇଁ ଦ୍ୱାର ଫିଟାଇଦିଅନ୍ତୁ । 12କିନ୍ତୁ ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ । 13ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ସମୟ ଜାଣ ନାହିଁ ।

ତୋଡ଼ାର ଦୃଷ୍ଟାନ୍ତ

(ଲୂକ. 19: 11-27)

14କାରଣ ବିଦେଶକୁ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଯେପରି ଆପଣା ଦାସମାନଙ୍କୁ ଡାକି ସେମାନଙ୍କ ହସ୍ତରେ ନିଜର ସର୍ବସ୍ୱ ସମର୍ପଣ କଲେ, ସ୍ୱର୍ଗରାଜ୍ୟ ସେହିପରି । 15ସେ ଜଣକୁ ପାଞ୍ଚ ତୋଡ଼ା, ଅନ୍ୟ ଜଣକୁ ଦୁଇ ତୋଡ଼ା, ଆଉ ଜଣକୁ ଏକ ତୋଡ଼ା, ଏହିପରି ପ୍ରତ୍ୟେକକୁ ତାହାର ଶକ୍ତି ଅନୁସାରେ ଦେଇ ବିଦେଶକୁ ଯାତ୍ରା କଲେ । 16ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ସେହିକ୍ଷଣି ତାହା ନେଇ ବ୍ୟବସାୟ କରି ଆଉ ପାଞ୍ଚ ତୋଡ଼ା ଲାଭ କଲା ।

17ସେହି ପ୍ରକାରେ ଯେ ଦୁଇଟି ପାଇଥିଲା, ସେ ଆଉ ଦୁଇଟି ଲାଭ କଲା । 18ମାତ୍ର ଯେ ଗୋଟିଏ ପାଇଥିଲା, ସେ ଯାଇ ମାଟି ଖୋଳି ଆପଣା ପ୍ରଭୁଙ୍କ ଟଙ୍କା ପୋତି ଲୁଚାଇ ରଖିଲା ।

19ବହୁକାଳ ପରେ ସେହି ଦାସମାନଙ୍କର ପ୍ରଭୁ ଆସି ସେମାନଙ୍କ ସାଙ୍ଗରେ ହିସାବ କଲେ । 20ଆଉ, ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ଆଉ ପାଞ୍ଚ ତୋଡ଼ା ନେଇ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ପାଞ୍ଚ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ପାଞ୍ଚ ତୋଡ଼ା ଲାଭ କରିଛି । 21ତାହାର ପ୍ରଭୁ ତାହାକୁ କହିଲେ, ବେଶ୍ , ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ ।

22ପୁଣି, ଯେ ଦୁଇ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ଦୁଇ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ଦୁଇ ତୋଡ଼ା ଲାଭ କରିଛି । 23ତାହାର ପ୍ରଭୁ ତାହାକୁ କହିଲେ, ବେଶ୍ , ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ ।

24ଆଉ, ଯେ ଏକ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ଯେ ଜଣେ କଠିନ ଲୋକ, ଯେଉଁଠାରେ ବୁଣି ନ ଥାଆନ୍ତି, ସେଠାରେ କାଟନ୍ତି, ଆଉ ଯେଉଁଠାରେ ଶସ୍ୟ ବିଛାଇ ନ ଥାନ୍ତି, ସେଠାରେ ସଂଗ୍ରହ କରନ୍ତି, ଏହା ମୁଁ ଜାଣିଥିଲି । 25ଏଣୁ ଭୟ କରି ମୁଁ ଯାଇ ଆପଣଙ୍କ ତୋଡ଼ା ମାଟିରେ ପୋତି ଲୁଚାଇ ରଖିଲି; ଦେଖନ୍ତୁ, ଆପଣ ନିଜର ଧନ ପାଇଲେ ।

26କିନ୍ତୁ ତାହାର ପ୍ରଭୁ ତାହାକୁ ଉତ୍ତର ଦେଲେ, ରେ ଦୁଷ୍ଟ ଓ ଅଳସ ଦାସ, ମୁଁ ଯେଉଁଠାରେ ବୁଣି ନ ଥାଏ, ସେଠାରେ କାଟେ, ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନ ଥାଏ, ସେଠାରେ ସଂଗ୍ରହ କରେ, ଏହା କ’ଣ ଜାଣିଥିଲୁ ? 27ତେବେ ବଣିକମାନଙ୍କ ହସ୍ତରେ ମୋହର ଟଙ୍କା ରଖିବା ଉଚିତ ଥିଲା; ତାହାହେଲେ ମୁଁ ଆସି ସୁଧ ସହିତ ମୋହର ଧନ ଫେରି ପାଇଥାନ୍ତି ।

28ଅତଏବ, ଏହାଠାରୁ ଏହି ତୋଡ଼ା ନେଇଯାଇ, ଯାହାର ଦଶ ତୋଡ଼ା ଅଛି, ତାହାକୁ ଦିଅ । 29କାରଣ ଯେକୌଣସି ଲୋକର ଅଛି, ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ । 30ଆଉ, ତୁମ୍ଭେମାନେ ଏହି ଅକର୍ମଣ୍ୟ ଦାସକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ ।

ଅନ୍ତିମ ବିଚାର

(ମାଥି.16:27; 19:28)

31ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆସିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ବସିବେ, 32ପୁଣି, ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ, ଆଉ ମେଷପାଳକ ଛାଗଠାରୁ ମେଷ ପୃଥକ୍ କରି, 33ମେଷମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ ।

34ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ, ଆସ, ମୋହର ପିତାଙ୍କ ଆଶୀର୍ବାଦପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତ୍ତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି, ସେଥିରେ ଅଧିକାରୀ ହୁଅ; 35କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ; ପ୍ରବାସୀ ଥିଲି, ମୋତେ ଅାଶ୍ରୟ ଦେଲ; 36ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ; ଅସୁସ୍ଥ ଥିଲି, ମୋତେ ଦେଖି ଆସିଲ; କାରାଗାରରେ ଥିଲି; ମୋ ନିକଟକୁ ଆସିଲ ।

37ସେଥିରେ ଧାର୍ମିକମାନେ ତାହାଙ୍କୁ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ ଦେଖି ଆହାର ଦେଲୁ ? ଅବା ତୃଷିତ ଦେଖି ପାନ କରିବାକୁ ଦେଲୁ ? 38ଆଉ, କେବେ ଆପଣଙ୍କୁ ପ୍ରବାସୀ ଦେଖି ଆଶ୍ରୟ ଦେଲୁ ? କିମ୍ବା ଉଲଙ୍ଗ ଦେଖି ବସ୍ତ୍ର ପରିଧାନ କରାଇଲୁ ? 39ଆଉ, କେବେ ଆପଣଙ୍କୁ ଅସୁସ୍ଥ ଅବା କାରାଗାରସ୍ଥ ଦେଖି ଆପଣଙ୍କ ନିକଟକୁ ଗଲୁ ? 40ପୁଣି, ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ ।

41ତାହା ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ, ମୋ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ଚାଲିଯାଅ କର, 42କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ; 43ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ; ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ ନାହିଁ; ଅସୁସ୍ଥ ଓ କାରାଗାରସ୍ଥ ଥିଲି, ମୋତେ ଦେଖିବାକୁ ଆସିଲ ନାହିଁ ।

44ସେଥିରେ ସେମାନେ ମଧ୍ୟ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ କି ତୃଷିତ, ପ୍ରବାସୀ କି ଉଲଙ୍ଗ, ପୀଡ଼ିତ କି କାରଗାରସ୍ଥ ଦେଖି ଆପଣଙ୍କର ସେବା କଲୁ ନାହିଁ ? 45ସେଥିରେ ସେ ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରି ନ ଥିବାରୁ ମୋ ପ୍ରତି ହିଁ ତାହା କରି ନାହଁ । ଆଉ, ଏମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ ।

46

Copyright information for OriULB